Skip to content Skip to footer

ପାଠାଗାରର ଆହ୍ୱାନ

ପୁସ୍ତକ ହେଉଛି ମଣିଷର ପ୍ରିୟ ବନ୍ଧୁ। ମଣିଷର ଚିନ୍ତା, ଚେତନା ଓ ଜ୍ଞାନର ବିକାଶ ପାଇଁ ପୁସ୍ତକ ଏକ ଗୁରୁତ୍ଵପୂର୍ଣ୍ଣ ଭୁମିକା ବହନ କରେ। ପୁସ୍ତକ ସବୁବଳେ ମଣିଷକୁ ସତ୍ମାର୍ଗରେ ପରିଚାଳିତ କରିଥାଏ। ସେଥ‌ିପାଇଁ ତ କୁହାଯାଏ “ ପୁସ୍ତକ ହେଉଛି ମଣିଷର ସୁଖଦୁଃଖର ସାଥ୍‌।” ସଂପ୍ରତି ବିଜ୍ଞାନର ଯୁଗରେ ମଣିଷ ଯେତେ ଅଗ୍ରଗତି କଲେ ମଧ୍ୟ ବହିର ଚାହିଦା କେବେ କମି ନାହିଁ । ବିଭିନ୍ନ ପାଠାଗାରରେ ଥିବା ପୁସ୍ତକଗୁଡ଼ିକୁ ଦେଖୁଲେ ଏହା ପ୍ରମାଣିତ ହୋଇଯାଏ। ଯେଉଁଠି ଛାତ୍ରଛାତ୍ରୀ, ଗବେଷକ ଓ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହୋଇଥାଏ ପୁରୁଣା ଓ ନୂଆ ପୁସ୍ତକ, ପତ୍ରପତ୍ରିକା ତଥା ନଥିପତ୍ର ଆଦି। ତେଣୁ ପୁସ୍ତକ ଜ୍ଞାନର ବିକାଶର ମୂଳ ଉତ୍ସ ଭାବେ ବିବେଚିତ ହେଉଥ‌ିବା ବେଳେ ପାଠାଗାରଗୁଡ଼ିକ ଜ୍ଞାନ ଆହରଣର ପୀଠସ୍ଥଳୀ ଭାବେ ପରିଗଣିତ ହୋଇଥାଏ।

ତେବେ ଜ୍ଞାନର ବିକାଶ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ପାଠାଗାରର ଭୂମିକା ଅତୁଳନୀୟ ଅଟେ । ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପାଇଁ ସହର ଠୁ ଗାଁ ପର୍ଯ୍ୟନ୍ତ ଅନେକ ସରକାରୀ ଓ ବେସରକାରୀ ପାଠାଗାର ସ୍ଥାପିତ ହୋଇଛି। ତେବେ ଗ୍ରାମାଞ୍ଚଳରେ ଥିବା ପୂର୍ବର ଭାଗବତଟୁଙ୍ଗୀ ଠୁ ଆରମ୍ଭ କରି ଆଜିର ଶୀତତାପ ନିୟନ୍ତ୍ରିତ ପାଠାଗାର ପର୍ଯ୍ୟନ୍ତ ସମସ୍ତଙ୍କର ଉଦ୍ଦେଶ୍ୟ ଏକ ଓ ଅଭିନ୍ନ। ବର୍ତ୍ତମାନର ଯୁବପିଢ଼ି ନିଜର ପାଠପଢ଼ା ଏବଂ ଚାକୀରି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଘଣ୍ଟାଘଣ୍ଟା ଧରି ପାଠାଗାରଗୁଡ଼ିକରେ ପଢୁଛନ୍ତି । ସେଥ‌ିପାଇଁ ପାଠାଗାରଗୁଡ଼ିକର ରୂପରେଖ ବଦଳିବାରେ ଲାଗିଛି । ସମୟ ସହ ତାଳ ଦେଇ ଆଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସମୟାନୁକ୍ରମେ ଅନୁସରଣ କରି ପାଠାଗାରଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି । ପୁରୁଣା ଓ ନୂଆ ପୁସ୍ତକ, ପତ୍ରପତ୍ରିକା, ନଥପତ୍ର ସହିତ ଇ-ବୁକ୍, ଅଡିଓ ବ୍ଲକ୍, ଇଣ୍ଟର୍‌ନେଟ, କମ୍ପ୍ୟୁଟର ଆଦି ଉପଲବ୍ଧ ହୋଇପାରିଛି ।

ତେବେ ସାଧାରଣତଃ ତିନି ପ୍ରକାରର ପାଠାଗାର ଦେଖ‌ିବାକୁ ମିଳିଥାଏ। ଯଥା –

ସାର୍ବଜନୀନ : ଯାହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ।

ଶୈକ୍ଷିକ      : ଯାହା ଶିକ୍ଷାନୁଷ୍ଠାନମାନଙ୍କରେ ଥ‌ିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକଙ୍କୁ ସୂଚନା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ।

ସ୍ଵତନ୍ତ୍ର        : ଯାହା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଶିକ୍ଷକ,ଗବେଷକ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ପ୍ରକାରର ପଠନ ସାମଗ୍ରୀକୁ ନେଇ ସ୍ଵତନ୍ତ୍ର ଭାବରେ ନିର୍ମିତ।

ଆଜିର ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ ଯୁଗରେ ପାଠାଗାରର ଚାହିଦା ବଢ଼ୁଛି ନିଶ୍ଚୟ । କିନ୍ତୁ ଅପରପେକ୍ଷ ଆଜିର ଯୁବପିଢ଼ି ପାଶ୍ଚାତ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅନୁସରଣ କରି ନିଜ ଭାଷାର ସ୍ଵତନ୍ତ୍ରତା ଓ ମହତ୍ତ୍ଵ ହରାଇ ବସିଛନ୍ତି । ପାଠାଗାରର ବ୍ୟବହାର ବଢ଼ିଛି କିନ୍ତୁ ଓଡ଼ିଆ ଭାଷାର ନୁହେଁ । କାରଣ ପାଶ୍ଚାତ୍ୟ ଭାଷାର ପ୍ରଭାବରୁ ଯୁବପିଢ଼ିଙ୍କୁ ଉଦ୍ଧାର କରିବାକୁ ଯେତେ ମାତ୍ରାରେ ଭାଷାଗତ ସଚେତନତା ଦରକାର ତାହା ଠିକ୍‌ରେ ହୋଇପାରୁନାହିଁ । ଆଜିର ଯୁବପିଢ଼ିକୁ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବାକୁ ହେଲେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ, ସାହିତ୍ୟ କାର୍ଯ୍ୟକ୍ରମ, ଶିକ୍ଷା କର୍ମଶାଳା ଏବଂ ପଠନ ପ୍ରବୃତ୍ତିରେ ବିକାଶମୂଳକ କାର୍ଯ୍ୟକ୍ରମ କରାଯିବା ନିତାନ୍ତ ଆବଶ୍ୟକ। ଆଜିର ଯୁବପିଢ଼ି ଏକ ଟେକ୍ନୋଲୋଜି ସମ୍ପନ୍ନ ବିଶ୍ଵରେ ବଞ୍ଚିବା ସହିତ ସ୍କର୍ଟଫୋନ୍, ଇଣ୍ଟରନେଟ୍, ସୋସିଆଲ ମିଡିଆ ଆଦି ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଆହ୍ୱାନ ହେବା ସହ ଏକ ସୁଯୋଗ ମଧ୍ୟ। ଯଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ପାଠାଗାରଗୁଡ଼ିକର ସେବାପ୍ରଦାନର ପୁରୁଣା ପଦ୍ଧତିକୁ ବଦଳେଇ ନୂଆ ଡିଜିଟାଲ ବା ଅନ୍‌ଲାଇନ ସେବା ପ୍ରଦାନ କ୍ଷେତ୍ରରେ ସକ୍ଷମ କରାଇପାରିଲେ ତାହା ନିଶ୍ଚୟ ଯୁବବର୍ଗଙ୍କୁ ଆକୃଷ୍ଟ କରିବ । ଡିଜିଟାଲ ବା ଅନ୍‌ଲାଇନ ସେବା ପ୍ରଦାନ, ଅନ୍‌ଲାଇନ ଆଲୋଚନା ଆଦି ଆମ ଭାଷାକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇ ପାରିବ । ଯଦିଓ ଏ କ୍ଷେତ୍ରରେ କିଛି ମାତ୍ରାରେ ରାଜ୍ୟ ସରକାରଙ୍କର ତତ୍ପରତା ଦେଖିବାକୁ ମିଳୁଛି ଏବଂ କିଛି ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ତାହା ଯଥେଷ୍ଟ ନୁହେଁ ।

ତେଣୁ ଆସନ୍ତୁ ଆମେ ସମସ୍ତେ ଜଣେ ଜଣେ ଦାୟିତ୍ୱବାନ ଓଡିଆ ନାଗରିକ ଭାବରେ ଶପଥ ନେବା, ଆମ ପାଠାଗାରଗୁଡ଼ିକୁ ସମର୍ଥନ କରିବା। ଓଡ଼ିଆ ସାହିତ୍ୟକୁ ପଢ଼ିବା ଓ ଏହାର ପ୍ରଚାର ପ୍ରସାର ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଆଗମୀ ପିଢ଼ିର ସୃଜନାତ୍ମକତାକୁ ପ୍ରୋତ୍ସାହିତ କରିବା, ଆମ ଭାଷା ଓ ସାହିତ୍ୟ ସମ୍ପଦକୁ ସଂରକ୍ଷିତ କରି ସାମାଜିକ ସଂସ୍କୃତିକୁ ସୁଦୃଢ଼ କରିବା। ଯାହାଦ୍ଵାରା ଓଡ଼ିଆ ସାହିତ୍ୟ ଏକ ଅଦ୍ଵିତୀୟ ରୂପରେ ପ୍ରକାଶିତ ହୋଇପାରିବ। ଏହାହିଁ ହେଉ ଆମ ସମସ୍ତଙ୍କର ସମାଜ ପ୍ରତି ସାମାଜିକ ଦାୟିତ୍ୱ ତୁଲେଇବାର ଅଙ୍ଗୀକାରବଦ୍ଧତା।

                                                                                                                                      ବନ୍ଦେ ଉତ୍କଳ ଜନନୀ ।

2 Comments

  • Pratitee Mohanty
    Posted February 19, 2026 at 4:20 pm

    କୌଣସି ଭି ଭାଷା ଶିଖିବା ବହୁତ ଭଲ କଥା, କିନ୍ତୁ ତା ସହିତ ନିଜର ମାତୃଭାଷା ଶିଖିବା କହିବା ଏବମ ତାକୁ ସମ୍ମାନ ଦେବା ସବୁଠାରୁ ଭଲ କଥା. ପାଠାଗାର ନିଶ୍ଚିନ୍ତ ଭାବରେ ଏକ ଭଲ ପ୍ରୟାସ 🙏🏻

    • Post Author
      Anuswaar
      Posted February 19, 2026 at 4:44 pm

      ଧନ୍ୟବାଦ… ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ।

Leave a comment

E-mail
Password
Confirm Password