Skip to content Skip to footer

ସମୟ, ସାହିତ୍ୟ ଓ ଆମ ଦାୟିତ୍ଵ

ସାହିତ୍ୟ ହେଉଛି ସମୟର ନିଃଶ୍ୱାସ। ମଣିଷ ଯେପରି ନିଜ ମନର କଥା ଶବ୍ଦରେ କହିଥାଏ, ଠିକ୍ ସେହିପରି ସମାଜ ମଧ୍ୟ ନିଜକୁ ପରିପ୍ରକାଶ କରିଥାଏ ସାହିତ୍ୟ ମାଧ୍ୟମରେ । ସମୟ ବଦଳେ, ପିଢି ବଦଳେ, ପରିବେଶ ବଦଳେ, କିନ୍ତୁ ସାହିତ୍ୟର ଆତ୍ମା କେବେ ବଦଳେ ନାହିଁ। ୨୦୨୬ରେ ଦଣ୍ଡାୟମାନ ହୋଇ ଆମେ ଯେତେବେଳେ ଚିନ୍ତା କରିଥାଉ ଯେ, ସାହିତ୍ୟ କେବଳ ସୁନ୍ଦର ସୁନ୍ଦର ଶବ୍ଦ ଯୋଡି ଲେଖିବା ନୁହେଁ, ବରଂ ଭାଷାକୁ ସମୃଦ୍ଧ କରିବା ପାଇଁ ଏହା ଆମ ସମସ୍ତଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ।
ଆଜିର ଡିଜିଟାଲ ଯୁଗରେ ଶବ୍ଦ ଅଧିକ, କିନ୍ତୁ ଅର୍ଥ କମ୍। ଲାଇକ୍ ଓ ସେୟାର୍‌ର ଭିଡ଼ରେ ସାହିତ୍ୟ ତା’ର ଭାବ ହରାଇ ବସିଛି ଅନେକାଂଶରେ । ଏମିତି ସମୟରେ ସାହିତ୍ୟର ପ୍ରଶ୍ନ – “ମୁଁ କାହା ପାଇଁ?” ଓ “ ମୋତେ କାହା ପାଇଁ ଲେଖାଯାଉଛି ?” ଯଦି ଲେଖା ସମାଜର ଯନ୍ତ୍ରଣାକୁ ଛୁଇଁନପାରେ, ମନକୁ ଆଲୋଡ଼ିତ କରିନପାରେ, ଯୁବ ପିଢିକୁ ଅନୁପ୍ରାଣିତ କରି ନପାରେ, ତା’ ହେଲେ ସେ ସାହିତ୍ୟ ମାତ୍ର କାଗଜର ସୌନ୍ଦର୍ଯ୍ୟ ହୋଇ ରହିଯାଏ। ପ୍ରେମ, ପ୍ରତିବାଦ ଓ ପ୍ରେରଣା ଏହି ତିନୋଟି ହେଉଛି ସାହିତ୍ୟର ତିନୋଟି ପ୍ରାଣ। ପ୍ରେମ ବିନା ଶବ୍ଦ ନିର୍ଜୀବ, ପ୍ରତିବାଦ ବିନା ସାହିତ୍ୟ ନିରବ ଓ ପ୍ରେରଣା ବିନା ଲେଖା ମୂଲ୍ୟହୀନ। ତେବେ ୨୦୨୬ର ଲେଖକ/କବିମାନେ ଏହି ତିନିଟି ଶକ୍ତିକୁ ଏକାଠି କରି ସମୟର ସହ ତାଳଦେଇ ଚାଲିବାକୁ ପଡ଼ିବ। ଓଡ଼ିଆ ସାହିତ୍ୟ ଆଜି ନୂଆ ପଥରେ। ଇ-ବୁକ୍, ଇ-ପତ୍ରିକା, ପଡ଼କାଷ୍ଟ ଓ ବିଭିନ୍ନ ଡିଜିଟାଲ ମଞ୍ଚରେ ଭାଷା ପ୍ରସାର ପାଉଛି। କିନ୍ତୁ ପ୍ରସାର ସହିତ ପ୍ରଶ୍ନ ମଧ୍ୟ ଅନେକ । ଆମେ କଣ ଆମ ଭାଷାର ବୈଭବ ଓ ବିଶାଳତାକୁ ବୁଝି ପାରୁଛୁ? ଭାଷା ଯେ କେବଳ ଆମମାନଙ୍କର କଥା କହିବାର ମାଧ୍ୟମ ନୁହେଁ, ଏହା ଆମର ପରିଚୟ। ଆଉ ସାହିତ୍ୟ ହେଉଛି ଏହାର ଆତ୍ମା। ୨୦୨୬ କେବଳ ଏକ ବର୍ଷ ନୁହେଁ, ଏକ ପ୍ରଶ୍ନ – “ଆଗାମୀ ପିଢିକୁ ଆମେ କଣ ଦେଉଛୁ?”। ଯଦି ଆମେ ଶବ୍ଦକୁ ସତ୍ୟ, ଭାବନାକୁ ସାହସ ଓ ଭାଷାକୁ ସମ୍ମାନ ଦେଇପାରିବା, ତା’ ହେଲେ ଓଡ଼ିଆ ସାହିତ୍ୟ ପ୍ରତି ଆମର ଆଗାମୀ ପିଢି ନିଶ୍ଚୟ ଅନୁପ୍ରାଣିତ ହେବେ । ତେବେ ଆସନ୍ତୁ ଆମେ ସମସ୍ତେ ଏହି ୨୦୨୬ ବର୍ଷରେ ନିଜକୁ ଆତ୍ମ-ବିଜ୍ଞାପିତ କରିବାକୁ ନୁହେଁ, ବରଂ ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ଓ ନୂତନ ପିଢିକୁ ଅନୁପ୍ରାଣିତ କରିବାକୁ କିଛି ସୃଜନାତ୍ମକ କାଳଜୟୀ ସାହିତ୍ୟ ସୃଷ୍ଟି କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ।
ବନ୍ଦେ ଉତ୍କଳ ଜନନୀ

ସମ୍ପାଦକ : ଆନୁସ୍ୱାର 

 

Leave a comment

E-mail
Password
Confirm Password